ପିଲାଦିନେ, ମାଆମାନେ ଫିଙ୍ଗି ଦେଇଥିବା ଗହମ ନଡ଼ାର ବଳକା ଖାଡ଼ିରେ ସେମାନେ କ୍ଷୁଦ୍ରାକୃତିର ଝୁଡ଼ି ବା ଚାଙ୍ଗୁଡ଼ି ତିଆରି କରୁଥିବା କଥା ମନେ ପକାଇ ସହକର୍ମୀ ଜୁବୈଦାଙ୍କ ସହିତ ହସି ଉଠନ୍ତି ୪୮ ବର୍ଷୀୟା ଅସ୍ମିନା । ମେୱାତ ଅଞ୍ଚଳର ଅନ୍ୟ ଅନେକ ଝିଅଙ୍କ ଭଳି, ମାଆମାନେ ବାଧ୍ୟ କରିବା ଯୋଗୁଁ ହିଁ ସେମାନେ ଚାଙ୍ଗୁଡ଼ି ବୁଣିବା ଶିଖିଥିଲେ ସତ, ହେଲେ କେବେ ବି କଳ୍ପନା କରି ନଥିଲେ ଯେ, ଏହା ହିଁ ଦିନେ ସେମାନଙ୍କ ଜୀବିକା ଅର୍ଜନର ଉତ୍ସରେ ପରିଣତ ହେବ ।
“ଆମେ ସେ ସବୁ ତିଆରି କରି ଆମ ସଂପର୍କୀୟମାନଙ୍କୁ ଦେଇ ଦେଉଥିଲୁ । “ଅବ ଜବ୍ ବିକନ ଲାଗେଁ ତୋ ହମ୍ ନା ଦେବେଁ ଫ୍ରି ମେଁ (ଏବେ ସେ ସବୁ ବିକ୍ରି ହେଉଛି, ଆଉ ଆମେ ମାଗଣାରେ ଦେବୁ ନାହିଁ),” ମନଖୋଲା ହସ ସହିତ କହନ୍ତି ଅସ୍ମିନା ।
ହରିୟାଣାର ନୁହ ଜିଲ୍ଲା ଅନ୍ତର୍ଗତ ଘସେରା ଗାଁରେ, ତାଙ୍କ ଦାଣ୍ଡ ଅଗଣାର ଗୋଟିଏ ସିମେଣ୍ଟ ବେଞ୍ଚ ଉପରେ ବସି ସେ ହାତେ ଲମ୍ବା ଗୋଟିଏ ଦେଶୀ ଗେହୁଁ (ଦେଶୀ ଗହମ ନଡ଼ା) ଖାଡ଼ି ବାହାର କରନ୍ତି ଏବଂ ଗୋଟିଏ ଖୁବ୍ ସରୁ ଛୁଞ୍ଚି ସାହାଯ୍ୟରେ ଏହାର ପାଞ୍ଚଟି ଖିଅ ବାହାର କରି ନିଅନ୍ତି । ଏଥିରୁ ଗୋଟିଏ ଖିଅକୁ ବାଛି, ନିପୁଣତାର ସହିତ ସେ ତିଆରି କରୁଥିବା ଚଙ୍ଗେରି (ଅଗଭୀର ଚାଙ୍ଗୁଡ଼ି)ର କ୍ରମବର୍ଦ୍ଧମାନ ବକ୍ର ପଟଳ ଉପରେ ବୁଣିବାରେ ଲାଗି ପଡ଼ନ୍ତି ।
“ଅଗର ଘର ମେଁ ମେହମାନ ଆଗୋ ଔର ଚଙ୍ଗେରି ମେଁ ରୋଟି ଧର କେ ନା ଦି, ତୋ ୟୁ କେଙ୍ଗେ କି ଅସ୍ମିନା ନେ ପ୍ଲେଟ୍ ମେଁ ରୋଟି ଧର କେ ଦି, ଚଙ୍ଗେରି ମେଁ ନା ଦି (ଯଦି ଘରକୁ ଅତିଥି ଆସନ୍ତି ଏବଂ ସେମାନଙ୍କୁ ମୁଁ ଚଙ୍ଗେରିରେ ରଖି ରୋଟି ବାଢ଼ି ନ ଦିଏ, ସେମାନେ କହିବେ ଯେ ରୋଟିକୁ ପ୍ଲେଟରେ ରଖି ପରଷି ଦିଆଗଲା),” ଅସ୍ମିନା କହନ୍ତି ।
ଚଙ୍ଗେରି ହେଉଛି ବହୁବିଧ କାମରେ ଲାଗୁଥିବା ଏକପ୍ରକାର ଚାଙ୍ଗୁଡ଼ି, ଯାହାକୁ ହରିୟାଣା ଓ ରାଜସ୍ଥାନର ମେୱାତ ଅଞ୍ଚଳର ମହିଳାମାନେ ପରମ୍ପରାଗତ ଭାବେ ବୁଣିଥାଆନ୍ତି । ଦିନ ଥିଲା, ବିବାହ ଉତ୍ସବ, ଇଦ୍ ଓ ଅନ୍ୟାନ୍ୟ ପର୍ବପର୍ବାଣୀ ପାଳନ ସମୟରେ ଦିଆଯାଉଥିବା ଉପହାରରେ ଏହାକୁ ସାମିଲ କରିବାର ପ୍ରଥା ରହିଥିଲା ।

















